ରାଜ୍ୟ

ଯୋବ୍ରା ବ୍ୟାରେଜ୍‌ ଉପରେ ସିରିଜ୍‌ ଦୁର୍ଘଟଣା

Spread the love

ସୋମବାର ରାତିରେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଯୋବ୍ରା ବ୍ୟାରେଜ୍‌ ଉପରେ ସିରିଜ୍‌ ଦୁର୍ଘଟଣା ଘଟାଇଛି । ସ୍କର୍ପିଓ ଚାଳକ ନିଶାସକ୍ତ ଅବସ୍ଥାରେ ଦ୍ରୁତ ଗତିରେ ଗାଡ଼ି ଚଳାଇ ମହାନଦୀ ବନ୍ଧରେ ଏକପ୍ରକାର କୋକୁଆ ଭୟ ଖେଳାଇଥିଲେ ।ଦୁର୍ଘଟଣାରେ ପିକ୍‌ଅପ୍‌ ଭ୍ୟାନ୍‌ ଓ ଅଟୋ ପୂରା ଚୂର୍‌ମାର୍‌ ହୋଇଯାଇଛି ।
ସୋମବାର ରାତିରେ ଦ୍ରୁତ ଗତିରେ ଯାଉଥିବା ଏକ ସ୍କର୍ପିଓ ଗାଡ଼ି ଯୋବ୍ରା ବ୍ୟାରେଜ୍‌ ଉପରେ ସିରିଜ୍‌ ଦୁର୍ଘଟଣା ଘଟାଇଛି । ଶେଷରେ ଯୋବ୍ରା ଗୋଲେଇ ଛକରେ ଦୁଇ ବାଇକ୍‌ ଚାଳକଙ୍କୁ ସାଇଡ୍‌ ମାରି ବ୍ୟାରେଜ୍‌ ଉପରେ ଏକ ସଙ୍ଗେ ଯାତ୍ରୀ ବସିଥିବା ଏକ ଅଟୋ ଓ ମାଲ୍‌ବାହୀ ପିକ୍‌ଅପ୍‌ ଭ୍ୟାନ୍‌କୁ ଧକ୍କା ଦେବାରୁ ପ୍ରାୟ ୮ ଜଣ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରେ ୩ ଜଣ ମହିଳା ଓ ୨ ଶିଶୁ ଅଛନ୍ତି । ଚିକିତ୍ସା ପାଇଁ ଏସ୍‌ସିବି ମେଡିକାଲ୍‌ରେ ମୋଟ ୫ ଜଣ ଭର୍ତ୍ତି ହୋଇଛନ୍ତି ।
ମିଳିଥିବା ସୂଚନା ମୁତାବକ, ସୋମବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଏକ ସ୍କର୍ପିଓ ଗାଡ଼ି ଦ୍ରୁତ ଗତିରେ ମହାନଦୀ ରିଂ ବନ୍ଧରେ ବାଲିଯାତ୍ରା ପଡ଼ିଆ ପାଖ ଅଞ୍ଚଳରୁ ଯୋବ୍ରା ଅଭିମୁଖେ ଆସୁଥିଲା । ଗାଡ଼ିର ବେଗ ଏତେ ଜୋର୍‌ରେ ଥିଲା ଯେ, ପ୍ରଥମେ ଗାଡ଼ି ମାରିଟାଇମ୍‌ ମ୍ୟୁଜିଅମ୍‌ ପାଖରେ ଦୁଇଟି ବାଇକ୍‌କୁ ସାଇଡ୍‌ ମାରି ବ୍ୟାରେଜ୍‌ ନିକଟ ଗୋଲେଇ ଛକ ପାଖରେ ପୁଣି ଜଣେ ସାଇକେଲ୍‌ ଚାଳକ ଓ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା । ଏହା ଦେଖି କିଛି ସ୍ଥାନୀୟ ପିଲା ଗାଡ଼ିକୁ ଅଟକାଇ ଡୋର୍‌ ଖୋଲିବାକୁ କହିଥିଲେ । ମାତ୍ର କେହି ଡୋର୍‌ ଖୋଲିଲେ ନାହିଁ । ଏହା ପରେ ଚାଳକ ପୁଣି ଖୁବ୍‌ ଜୋର୍‌ରେ ବ୍ୟାରେଜ୍‌ ଉପରେ ଗାଡ଼ିକୁ ଜଗତପୁର ନିମପୁର ଅଭିମୁଖେ ଚଳାଇଥିଲା ।

ଆଉ ବ୍ୟାରେଜ୍‌ ଉପରେ ଗେଟ୍‌ ନମ୍ବର ୫୧ ପାଖରେ ସମ୍ମୁଖରୁ ଆସୁଥିବା ଏକ ଯାତ୍ରୀବାହୀ ଅଟୋକୁ ପିଟିଥିଲା । ଏଥିରେ ଅଟୋରେ ବସିଥିବା ଜଣେ ମହିଳା, ଦୁଇ ଶିଶୁ ଓ ଡ୍ରାଇଭର ଆହତ ହୋଇଥିଲେ । ସେଠାରେ ମଧ୍ୟ କିଛି ଯୁବକ ସ୍କର୍ପିଓକୁ ଅଟକାଇବାକୁ ଚେଷ୍ଟା କରିଥିଲେ ବି ତାହା ଆଗକୁ ଯାଇ କିଛି ମିଟର ଦୂରରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ମାଲ୍‌ବୋଝେଇ ପିକଅପ୍‌ ଭ୍ୟାନ୍‌କୁ ଧକ୍କା ଦେଇଥିଲା।

ଧକ୍କା ଏତେ ଜୋର୍‌ରେ ଥିଲା ଯେ, ପିକ୍‌ଅପ୍‌ ଭ୍ୟାନ୍‌ଟି ଚୂରମାର୍‌ ହୋଇ ରାସ୍ତା ଉପରେ ଓଲଟି ପଡ଼ିବା ସହିତ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓଟି ବାମପଟ ଫୁଟପାଥ୍‌ ଉପରକୁ ମାଡ଼ିଯାଇ ବ୍ୟାରେଜ୍‌ ବାଡ଼ାରେ ଅଟକି ଯାଇଥିଲା । ସ୍କର୍ପିଓରେ ଲାଗିଥିବା ବେଲୁନ୍‌ ଖୋଲିଯାଇଥିଲା । ଏହା ଭିତରେ ୩ ଜଣ ମହିଳା, ଚାଳକଙ୍କ ସମେତ ଦୁଇ ଜଣ ପୁରୁଷ ଥିଲେ । ସେମାନଙ୍କ ମଧ୍ୟରୁ ଆହତ ହୋଇନଥିବା ସ୍କର୍ପିଓ ଚାଳକଙ୍କୁ ସ୍ଥାନୀୟ ଲୋକେ ଅଟକ ରଖିଥିଲେ । ସେ ନିଶାସକ୍ତ ଥିବା ପୁଲିସ ସନ୍ଦେହ କରୁଛି । ସ୍କର୍ପିଓରେ ଥିବା ଜଣେ ପୁରୁଷ, ଜଣେ ମହିଳା, ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭର୍‌, ଅଟୋରେ ଥିବା ମହିଳା ଓ ଅଟୋ ଡ୍ରାଇଭର୍‌ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଏସ୍‌ସିବିକୁ ନିଆଯାଇ ଚିକିତ୍ସା କରାଯାଉଛି ।

ଏସ୍‌ସିବି ମେଡିକାଲ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଆହତମାନେ ହେଲେ ଜଗତପୁରର ଜୟପ୍ରକାଶ ସାମଲ, କେଶରପୁରର ସକିରା ଖାତୁନ, କଟକ ଦୁର୍ଗାବଜାରର ସେକ୍‌ ସାହିଦ୍‌, ଖୋର୍ଦ୍ଧା ବୋଲଗଡ଼ର ବିକାଶ କୁମାର ଦାସ ଓ ଜୟନ୍ତୀ ମହନ୍ତ । ଅନ୍ୟପଟେ ଗାଡ଼ି ଗୁଡ଼ିକ ବ୍ୟାରେଜ୍‌ ଉପରେ ପଡ଼ିଥିବାରୁ ରାସ୍ତା ଜାମ୍‌ ହେବା ସହିତ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍କର୍ପିଓ ଭିତରେ ମଦ ପେଟି ଓ ସିଗାରେଟ୍‌ ପଡ଼ିଥିବା ଦେଖିବା ପରେ ଉପସ୍ଥିତ ଲୋକେ ହୋହାଲ୍ଲା କରିଥିଲେ ।
ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ି ସାମ୍ନାରେ ଗୋଟିଏ ନମ୍ବର ଲାଗିଥିବା ବେଳେ ପଛରେ ଅନ୍ୟ ଏକ ନମ୍ବର ଲାଗିଛି । ଏହା ଦେଖି ଗାଡ଼ିଟି ଚୋରା ଗାଡ଼ି ବୋଲି ଲୋକେ ଅଭିଯୋଗ ବି କରିଛନ୍ତି । ଖବର ପାଇ ଜଗତପୁର ପୁଲିସ ଓ ଏସିପି ଅରୁଣ ସ୍ୱାଇଁ, ଟ୍ରାଫିକ୍‌ ଥାନା ଅଧିକାରୀ କିଶୋର ପ୍ରଧାନ ପ୍ରମୁଖ ପହଞ୍ଚି ଗାଡ଼ିଗୁଡ଼ିକ କ୍ରେନ୍‌ ଯୋଗେ ସେଠାରୁ ହଟାଇ ଜଗତପୁର ଥାନାକୁ ନେଇ ଯାଇଥିଲେ । ଏହା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା ।

ସ୍କର୍ପିଓରେ ଥିବା ଜଣେ ପୁରୁଷ, ଜଣେ ମହିଳା, ପିକ୍‌ଅପ୍‌ ଭ୍ୟାନ୍‌ର ଡ୍ରାଇଭର୍‌, ଅଟୋରେ ଥିବା ମହିଳା ଓ ଅଟୋ ଡ୍ରାଇଭର୍‌ ଗୁରୁତର ଆହତ ହୋଇଥିବାରୁ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଏସ୍‌ସିବିକୁ ନିଆଯାଇ ଚିକିତ୍ସା କରାଯାଉଛି ।

 

Leave a Reply

Your email address will not be published. Required fields are marked *