ରାଜ୍ୟ

ନକଲି ଦୁଗ୍ଧ କାରଖାନା ଠାବ , ମିଳିଲା ଅପମିଶ୍ରିତ କ୍ଷୀର

Spread the love

ଜଗତପୁର ନିକଟବର୍ତ୍ତୀ ଆତୋଡ଼ାସ୍ଥିତ ମହାନଦୀ ପଠାର ଏକ ନିଚ୍ଛାଟିଆ ସ୍ଥାନରେ ଜଗତପୁର ପୁଲିସ ଏକ ଅପମିଶ୍ରିତ ଦୁଗ୍ଧ ପ୍ରସ୍ତୁତି କାରଖାନା ଠାବ କରିଛି। ଏହି କାରଖାନାରେ ‘ରୋହିଣୀ ମିଲ୍କ’ ବ୍ରାଣ୍ଡର କ୍ଷୀର, ଦହି, ଲସି ପ୍ରଭୃତି ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ାଯାଉଥିଲା। ଚଢ଼ଉ ବେଳେ କାରଖାନାରୁ ବିପୁଳ ପରିମାଣର ଦୁଗ୍ଧ ପାଉଚ୍‌, ଲସି, ଦହି ଏବଂ ଏସବୁ ପ୍ରସ୍ତୁତିରେ ବ୍ୟବହୃତ ପ୍ୟାକିଂ ମେସିନ୍, ଫ୍ରିଜ୍‌, ଷ୍ଟିକର୍‌, ପ୍ରୋସେସିଂ ମେସିନ୍ ଜବତ କରାଯାଇଛି। ଏଥି ସହିତ କେମିକାଲ୍‌, ପାଉଡର୍‌, କଷ୍ଟିକ୍ ସୋଡ଼ା ଇତ୍ୟାଦି ମଧ୍ୟ ଜବତ କରାଯାଇଛି।
ଅତୋଡ଼ାରେ ଥିବା ଏକ କାରଖାନାରେ ନକଲି କ୍ଷୀର ଓ ଦୁଗ୍‌ଧଜାତ ସାମଗ୍ରୀ ପ୍ରସ୍ତୁତ ହେଉଥିବା ନେଇ ପୁଲିସ ଖବର ପାଇଥିଲା। ଉକ୍ତ କାରଖାନାରେ କଞ୍ଚା କ୍ଷୀର ସଂଗ୍ରହ କରାଯାଇ ସେଥିରେ ଅସ୍ବାସ୍ଥ୍ୟକର ପାଣି ମିଶାଯାଇ ଗରମ କରାଯାଉଥିଲା।

ସେଥିରେ ମହାରାଷ୍ଟ୍ରରୁ ଆସୁଥିବା ସ୍କିମ୍‌ଡ ମିଲକ୍ ପାଉଡର୍‌, ଲୁଣ ଏବଂ କଷ୍ଟିକ୍‌ ସୋଡ଼ା ମିଶାଯାଇ ‘ରୋହିଣୀ ମିଲ୍‌କ’ ନାମରେ କ୍ଷୀର ପ୍ରସ୍ତୁତ କରାଯାଉଥିଲା। ଏହି କ୍ଷୀରକୁ କଟକ ସମେତ ଉପକୂଳବର୍ତ୍ତୀ ଜିଲ୍ଲା ପୁରୀ, କେନ୍ଦ୍ରାପଡ଼ା ଓ ଯାଜପୁରରେ ବହୁଳ ମାତ୍ରାରେ ବିକ୍ରି କରାଯାଉଥିଲା। କୌଣସି ସୂତ୍ରରୁ ଖବର ପାଇ କମିସନରେଟ୍‌ ପୁଲିସ ଓ ସିଏମ୍‌ସି ଖାଦ୍ୟ ସୁରକ୍ଷା ବିଭାଗ ଅଧିକାରୀମାନେ ଆଜି ସକାଳେ ସେଠାରେ ଚଢ଼ଉ କରିଥିଲେ।

ଚଢ଼ଉ ସମୟରେ ଉତ୍ପାଦିତ କ୍ଷୀରର ମାନ ଯାଞ୍ଚ ନିମନ୍ତେ ନମୁନା ସଂଗ୍ରହ କରାଯାଇଥିଲା। ବ୍ୟବସାୟ ନିମନ୍ତେ ଆବଶ୍ୟକୀୟ ସମସ୍ତ କାଗଜପତ୍ର ଠିକ୍ ଥିଲା ବେଳେ ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କରି ବଜାରକୁ ଛଡ଼ାଯାଉଥିବା ଜଣାପଡ଼ିଥିଲା।

ଉକ୍ତ କାରଖାନାଟି ୬ ମାସରୁ ଅଧିକ ସମୟ ଧରି ମହାନଦୀ ପଠାର ଏହି ନିକାଞ୍ଚନ ସ୍ଥାନରେ ଚାଲୁଥିଲା। ପୁଲିସ କାରଖାନାର ମାଲିକ ପ୍ରଦୀପ୍ତ କିଶୋର ପରିଡ଼ାଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଆଜିର ଚଢ଼ଉରେ ଅତିରିକ୍ତ ଡିସିପି ଅନୀଲ ମିଶ୍ର, କଟକ ଜୋନ୍‌-୧ ଏସିପି ଅରୁଣ ସ୍ବାଇଁ, ଜଗତପୁର ଆଇଆଇସି ଓମ୍‌ପ୍ରକାଶ ମହାନ୍ତି ଏବଂ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସାମିଲ ଥିଲେ।

Leave a Reply

Your email address will not be published. Required fields are marked *