ରାଜ୍ୟ

ରେଭେନ୍‌ସା ନାମ ପରିବର୍ତ୍ତନ ବିବାଦ ନେଇ ରାଜ୍ୟପାଳଙ୍କୁ ଭେଟିଲା ରେଭେନ୍‌ସା ହେରିଟେଜ୍‌ ଫୋରମ୍

Spread the love

ରେଭେନ୍‌ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ବିବାଦକୁ ନେଇ ଆଜି ରାଜ୍ୟପାଳଙ୍କୁ ଭେଟିଛି ରେଭେନ୍‌ସା ହେରିଟେଜ୍‌ ଫୋରମ୍। ପଦ୍ମଶ୍ରୀ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ, ଡ. ଅରବିନ୍ଦ ବେହେରା, ଅର୍ଚ୍ଚନା ନାୟକ, ସୁଦର୍ଶନ ଦାସ, ବଦ୍ରି ନାରାୟଣ ମହାନ୍ତି, ସନ୍ତୋଷ ସେଠୀ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟି ଇତିହାସ ବିକୃତି ବନ୍ଦ କରିବା ସହ ରାଜ୍ୟରେ ଶିକ୍ଷାର ମାନ ବୃଦ୍ଧି କରିବାକୁ ନିବେଦନ କରିଛନ୍ତି |

ଫୋରମ୍‌ର ଯୁକ୍ତି ହେଉଛି, ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପ୍ରସ୍ତାବ ଆଦୌ ଗ୍ରହଣୀୟ ନୁହେଁ। ଏହାକୁ ନେଇ ଚାଲିଥିବା ବିତର୍କ ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ବିତର୍କ ନାମରେ ଓଡ଼ିଆ ଜାତିର ଇତିହାସକୁ କଦର୍ଥ ଓ ବିକୃତ କରାଯାଉଛି। ରେଭେନ୍‌ସା ବିଶ୍ୱବିଦ୍ୟାଳୟ ନାମ ପରିବର୍ତ୍ତନ ପରିବର୍ତ୍ତେ ତାକୁ କିଭଳି ଏକ ବିଶ୍ବସ୍ତରୀୟ ଅନୁଷ୍ଠାନରେ ପରିଣତ କରାଯାଇ ପାରିବ ତାହା ଉପରେ ଚର୍ଚ୍ଚାର ଆବଶ୍ୟକତା ରହିଛି।

ଫୋରମ୍‌ ସଂଯୋଜକ ସୁଦର୍ଶନ ଦାସ କହିଛନ୍ତି, ରାଜ୍ୟପାଳଙ୍କ ସହ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା। ଐତିହ୍ୟ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ବିଷୟରେ ‘ବ୍ୟସ୍ତ ହେବାର କୌଣସି କାରଣ ନାହିଁ’ ବୋଲି ରାଜ୍ୟପାଳ ଆଶ୍ୱାସନା ଦେଇଛନ୍ତି। ରେଭେନ୍‌ସା ବିଶ୍ୱବିଦ୍ୟାଳୟ ଓ ରାଜ୍ୟର ଅନ୍ୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଶିକ୍ଷାର ମାନ ଯେଭଳି ବୃଦ୍ଧି ପାଇବ ସେ ନେଇ ଶିକ୍ଷା ବିଭାଗ ସହ ଆଲୋଚନା କରାଯିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଥିବା ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୩୧ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍‌ସା ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ ବିତର୍କ ହେଉ ବୋଲି ପ୍ରସ୍ତାବ ଦେଇଥିଲେ। ଏହା ବିରୋଧରେ ବିଭିନ୍ନସ୍ତରରେ ପ୍ରତିବାଦ ଆନ୍ଦୋଳନ ସହିତ ଆଲୋଚନାଚକ୍ର, ସଭା ସମିତି ଅନୁଷ୍ଠିତ ହୋଇଥିଲା। ଏହାର ପ୍ରତିବାଦରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ରେଭେନ୍‌ସା ହେରିଟେଜ ଫୋରମ୍ ପତ୍ର ଲେଖିଛି। ଆଜି ଫୋରମ୍‌ ପକ୍ଷରୁ ରାଜ୍ୟପାଳଙ୍କ ସହ ଆଲୋଚନା ହୋଇଥିବା ବେଳେ ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏ ବିଷୟରେ ଅବଗତ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *