ଚିତ୍ତୋରଗଡ଼ ରାଜ ପ୍ରସାଦର ରାଣୀ ପଦ୍ମାବତୀ ପ୍ୟାଲେସ ରେ ଶୋଭା ପାଇବେ ମା
ଧରାବତାରଣ କରିବେ ମା’ ଦୁର୍ଗା। ମା’ଙ୍କ ପୁଜା ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଭିନ୍ନ ଭିନ୍ନ ଡିଜାଇନର ତୋରଣ ସାଙ୍ଗକୁ ଆଖିଝଲସା ସାଜସଜ୍ଜାରେ ଲାଗିପଡ଼ିଛନ୍ତି ଆୟୋଜକ। ଏଥର ଚିତ୍ତୋରଗଡ଼ ରାଜ ପ୍ରସାଦର ରାଣୀ ପଦ୍ମାବତୀ ପ୍ୟାଲେସ ସଦୃଶ ତୋରଣ ପ୍ରସ୍ତୁତ ହେଉଛି। ଦେଢ଼ମାସ ହେବ ବଙ୍ଗୀୟ କାରିଗରମାନେ ମୂର୍ତ୍ତି ଓ ତୋରଣ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି।
ପୂଜା ପାଇଁ ଏଥର ୪୦ ଲକ୍ଷ ଟଙ୍କାର ବଜେଟ ପ୍ରସ୍ତୁତ ହୋଇଛି। ମେଢ଼ର ଉଚ୍ଚତା ୧୬ ଫୁଟ ରହି ଥିବା ବେଳେ ତୋରଣର ଉଚ୍ଚତା ୮୦ ଫୁଟ ରହିଛି। ଚଉଡ଼ା ରହିଛି ୧୨୦ ଫୁଟ। ଏକ କୁଇଣ୍ଟାଲ ଚାନ୍ଦିରେ ମା’ ଦୁର୍ଗା ଓ ପାର୍ଶ୍ବ ଦେବାଦେବୀ ସଜେଇ ହେବେ।ଷଷ୍ଠୀରୁ ମା’ଙ୍କ ନିକଟରେ ଅନ୍ନଭୋଗ ଓ ଦଶମୀରେ ଚରୁଅନ୍ନ ଓ ଦହିପଖାଳ ଭୋଗ ହେବ। ଷଷ୍ଠୀରେ ଭଜନ ଓ ଅନ୍ୟାନ୍ୟ ଦିନରେ ମେଲୋଡି କାର୍ଯ୍ୟକ୍ରମ ରହିଛି। ସୁରକ୍ଷା ପାଇଁ ୧୫ଟି ସିସିଟିଭି ସାଙ୍ଗକୁ ୨୦୦ଜଣ ସ୍ବଚ୍ଛାସେବୀ ନିୟୋଜିତ କରାଯାଇଛି। ବହୁସଂଖ୍ୟକ ବ୍ୟବସାୟୀଙ୍କୁ ନେଇ ଗଠିତ କଟକ ରୋଡ ବ୍ୟବସାୟୀ ସଂଘ ପକ୍ଷରୁ ନିର୍ମାଣ କରାଯାଉଥିବା ଏହି ସୂଚନାଧର୍ମୀ ତୋରଣ ଚଳିତ ବର୍ଷ ଆକର୍ଷଣୀୟ ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି।

