ମହଙ୍ଗା ପଡ଼ିଲା ମାତ୍ରାଧିକ ଖଣିଜ ଉତ୍ତୋଳନ
ବର୍ଷ ବର୍ଷ ଧରି ବେଆଇନ ଭାବେ ଖଣିଜ ପଦାର୍ଥ ଉତ୍ତୋଳନ ହେଉଥିଲା। ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ କାଶିଆ ପାହାଡ଼ ପଥର ଖଣିରୁ ବେଆଇନ ଖନନ ଅଭିଯୋଗରେ ୨୪ କୋଟି ଜୋରିମାନା କରିଛି ନୟାଗଡ ଜିଲ୍ଲା ଖଣି ବିଭାଗ। ଏହି ସଇରାତକୁ ବେଣୁଧର ପ୍ରଧାନଙ୍କ ନାମରେ ନିଲାମ ଦିଆଯାଇଥିବା ବେଳେ ସରକାରୀ ନିୟମ ବାହାରେ ଏଠାରୁ ଲକ୍ଷାଧିକ ଘନମିଟରରୁ ଊର୍ଦ୍ଧ୍ୱ ପଥର ଉତ୍ତୋଳନ କରାଯାଇଥିବା ଏବଂ ଏହାକୁ କ୍ରସର୍ ଅଞ୍ଚଳରେ ଜମା କରାଯାଇଥିବା ଭଳି ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି।
ଗତ ଜୁଲାଇ ୨୫ ତାରିଖରେ ନୟାଗଡ଼ ଜିଲ୍ଲା ଖଣି ଅଧିକାରୀ ଈଶ୍ୱରଚନ୍ଦ୍ର ପ୍ରଧାନଙ୍କ ସମେତ ଡିଏଫ୍ଓ, ଭାପୁର ତହସିଲଦାର ଓ ପୁଲିସ ଖଣି ଉପରେ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ଅତ୍ୟଧିକ ପଥର ବ୍ଳାଷ୍ଟିଂ ହୋଇଥିବା ଜଣାପଡ଼ିଥିବା ବେଳେ ଏହାକୁ ଆକଳନ କରିବା ସମ୍ଭବ ନଥିଲା। ଭୁବନେଶ୍ବର ‘ଓରସାକ୍’ ଟିମ୍ ଦ୍ୱାରା ସର୍ଭେ କରାଯିବା ପରେ ଅତ୍ୟଧିକ ପଥର ଉତ୍ତୋଳନ ହୋଇଥିବା ସ୍ପଷ୍ଟ ହୋଇଥିଲା। ଖାଲି ସେତିକି ନୁହେଁ, ପଥରଖଣି ବାହାରେ ଅତ୍ୟଧିକ ବ୍ଳାଷ୍ଟିଂ ହୋଇଥିବା ଏବଂ ପରିବହନ ସମୟରେ ‘ଵାଇ’ ଫର୍ମରେ ବ୍ୟାପକ ହେରଫେର ହୋଇଥିବା ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍।

