ରାଜ୍ୟ

ଜଙ୍ଗଲ କମୁଛି, ଜବରଦଖଲ ବଢ଼ୁଛି , ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ

Spread the love

ଓଡ଼ିଶାରେ ମୋଟ୍‌  ୫୨ଲକ୍ଷ ୧୫ ହଜାର ୫୯୬ ହେକ୍ଟର ଜଙ୍ଗଲ ଅଞ୍ଚଳ  ରହିଛି । ସେଥିରୁ ୪୦ ହଜାର ୫୦୭ ହେକ୍ଟର ଜଙ୍ଗଲ  ଜମି ଜବରଦଖଲକାରୀଙ୍କ କବ୍‌ଜାକୁ ଚାଲିଗଲାଣି ।  ସର୍ବାଧିକ ନବରଙ୍ଗପୁର ଜିଲ୍ଲାର ଜଙ୍ଗଲ ଜମି ରହିଛି  ଜବରଦଖଲକାରୀଙ୍କ କବଳରେ ଅଛି । କେବଳ  ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନୁହେଁ ଉପକୂଳବର୍ତ୍ତୀ  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଆଦି ଜିଲ୍ଲାରେ  ବହୁ ପରିମାଣର ଜଙ୍ଗଲ ଜମି ଜବରଦଖଲରେ  ରହିଛି । ସରକାର  ସ୍ୱୀକାର କରୁଛନ୍ତି ଯେ, ଜଙ୍ଗଲ କମୁଥିବା ବେଳେ  ଜବରଦଖଲ ବଢିବାରେ ଲାଗିଛି ।

ନବରଙ୍ଗପୁରରେ ୨୩ ହଜାର  ୬୬୭ ହେକ୍ଟର ଜଙ୍ଗଲ ଜମି ଜବରଦଖଲ  କରାଯାଇଛି । ସେହିପରି ଶିଳ୍ପ, ଖଣିଖାଦାନର ଜିଲ୍ଲା  ସୁନ୍ଦରଗଡ଼ରେ ୩ ହଜାର ୭୦୭ ହେକ୍ଟର ଜମି,  କଳାହାଣ୍ଡି ଜିଲ୍ଲାରେ ୨୩୨୭ ହେକ୍ଟର ଜଙ୍ଗଲ ଜମି,  ରାୟଗଡ଼ା ଜିଲ୍ଲାରେ ୧୬୦୨ ହେକ୍ଟର, କେନ୍ଦୁଝର  ଜିଲ୍ଲାରେ ୧୭୮୦ ହେକ୍ଟର, କୋରାପୁଟ ଜିଲ୍ଲାରେ ୧୨୮୧ ହେକ୍ଟର ଓ ଗଞ୍ଜାମ ଜିଲ୍ଲାରେ ୧ ହଜାର  ହେକ୍ଟର ଜଙ୍ଗଲ ଜମି ଜବରଦଖଲକାରୀଙ୍କ କବ୍‌ଜାକୁ  ଚାଲିଯାଇଛି ।

କଟକ ଏବଂ  କେନ୍ଦ୍ରାପଡ଼ା ଜିଲ୍ଲାରେ ୧୫୮୧ ହେକ୍ଟର ଜଙ୍ଗଲ ଜମି ଜବରଦଖଲକାରୀଙ୍କ ଦଖଲକୁ ଚାଲିଯାଇଛି । ଏଥିରୁ  ୧୨ଶହ ହେକ୍ଟର ଜମି କେବଳ କେନ୍ଦ୍ରାପଡ଼ା ଜିଲ୍ଲାରେ  ରହିଛି । ଆୟତନ ଦୃଷ୍ଟିରୁ ଅତ୍ୟନ୍ତ ଛୋଟ ଜିଲ୍ଲା ଭାବେ  ପରିଚିତ ଜଗତସିଂହପୁର ଜିଲ୍ଲାର ଜଙ୍ଗଲ ଜମି ମଧ୍ୟ  ଜବରଦଖଲକାରୀଙ୍କ କବ୍‌ଜାରେ । ଏହି ଜିଲ୍ଲାରେ  ୭୫୬ ହେକ୍ଟର ଜଙ୍ଗଲଜମି ହଡ଼ପ ହୋଇଛି ।

୨୦୦୫ ମସିହାରେ ଜଙ୍ଗଲ  ଜମିକୁ ନେଇ ଏକ ଆଇନ ଆସିଥିଲା । ଉକ୍ତ  ଆଇନ ଅନୁଯାୟୀ, ଯଦି ୨୦୦୫ ପୂର୍ବରୁ କେହି  ଜଙ୍ଗଲ ଜମି ଜବରଦଖଲ କରିଥିବାର ଜଣାପଡ଼େ  ତାହେଲେ ସେ ଯଦି ଉପଯୁକ୍ତ ହିତାଧିକାରୀ ବା  ଭୂମିହୀନ ହୋଇଥିବେ ତାହେଲେ ତାଙ୍କ ନାମରେ  ଉକ୍ତ ଜମିକୁ କରି ଦିଆଯିବ । ଇତିମଧ୍ୟରେ ଏହି  ଆଇନ ଆସିବାକୁ ୧୮ବର୍ଷ ବିତିଗଲାଣି । ହେଲେ  ଜମି ଜବରଦଖଲକାରୀଙ୍କ ତାଲିକା ବଢ଼ିବାରେ  ଲାଗିଛି । ସେତେବେଳେ ଜଙ୍ଗଲଜମି  ଜବରଦଖଲ ପରିମାଣ ଯେତିକି ରହିଥିଲା ଏବେ  ତାହା କମିବା ପରିବର୍ତ୍ତେ ବୃଦ୍ଧି ପାଇଛି । ତେଣୁ  ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେଇଥାନ୍ତେ  ତେବେ ଜବରଦଖଲକାରୀଙ୍କ ସଂଖ୍ୟା ହ୍ରାସ  ପାଇଥାନ୍ତା  |

 

Leave a Reply

Your email address will not be published. Required fields are marked *