ରାଜ୍ୟ

ସମ୍ପ୍ରତି ହସ୍ତତନ୍ତରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଉପରେ ଲୋକଙ୍କ ଆଦର ବୃଦ୍ଧି

Spread the love

ସମ୍ପ୍ରତି ହସ୍ତତନ୍ତରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଉପରେ ଲୋକଙ୍କ ଆଦର ବଢ଼ୁଛି । ରାଜ୍ୟ ସରକାର ମଧ୍ୟ ଏହି ଶିଳ୍ପକୁ ଆଗକୁ ନେବା ସହ ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି । ତେବେ ବାଲେଶ୍ୱର ଜିଲ୍ଲାରେ ଏହି ସବୁ ଯୋଜନା ନେଇ ସଚେତନତା ସୃଷ୍ଟି ହେଉନି । ଫଳରେ ବୁଣାକାରମାନେ ସରକାରଙ୍କ ଯୋଜନା ନେଇ ଯେମିତି ସଚେତନ ହେବା କଥା ହେଇପାରୁ ନାହାନ୍ତି । ସେମାନଙ୍କୁ ଆଶାନୁରୂପ ସରକାରୀ ସହାୟତା ମଧ୍ୟ ମିଳୁନି । ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର, ବସ୍ତା, ବାଲେଶ୍ୱର, ଔପଦା, ନୀଳଗିରି, ଖଇରା, ସୋର, ସିମୁଳିଆ, ବାହାନଗା ପଞ୍ଚାୟତ ସମିତି ଅଧୀନରେ ୨୩ ପ୍ରାଥମିକ ତନ୍ତୁବାୟ ସହଯୋଗ ସମିତି ଲି. କାର୍ଯ୍ୟ କରୁଛି । ସେଥିମଧ୍ୟରୁ ଜଳେଶ୍ୱର ପଞ୍ଚାୟତ ସମିତି ଅନ୍ତର୍ଗତ ମାଳିଡିଆ ଗ୍ରାମରେ ୨ ଟସର ତନ୍ତୁବାୟ ସହଯୋଗ ସମିତି କାର୍ଯ୍ୟକରୁଛି ।

ବସ୍ତା, ବାଲେଶ୍ୱର, ଖଇରା, ଔପଦା, ସିମୁଳିଆ, ବାହାନଗା, ସୋର, ନୀଳଗିରି ପଞ୍ଚାୟତ ସମିତି ଅନ୍ତର୍ଗତ ୨୧ ତନ୍ତୁବାୟ ସହଯୋଗ ସମିତି କାର୍ଯ୍ୟ କରୁଅଛି । ଜିଲ୍ଲାରୁ ପ୍ରସ୍ତୁତ ଟସର ଶାଢ଼ୀ, ଟସର ଯୋଡ଼, ଟସର ସ୍କାର୍ଡ, ଚାଦର, ଧୋତି, ଶାଢ଼ୀ, ଲୁଙ୍ଗି, ଗାମୁଛା, ତଉଲିଆ, ବେଡସିଟ୍‌, ସାର୍ଟ କପଡ଼ା, ରୁମାଲ ସହ ଆଦିବାସୀଙ୍କ ପର୍ବପର୍ବାଣୀ ଓ ବିଭାଘରରେ ବ୍ୟବହୃତ ଫୁଟା ଶାଢ଼ୀ, ଫୁଟା ଗାମୁଛା ଇତ୍ୟାଦି ଚାହିଦା ଜିଲ୍ଲା ତଥା ରାଜ୍ୟ ବାହାରରେ ରହିଛି । ଏହା ସତ୍ତ୍ଵେ ସରକାରୀ ଯୋଜନା ବିଷୟରେ ଅଧିକାଂଶ ବୁଣାକାର ଜାଣି ପାରୁ ନ ଥିବାରୁ ସେମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳିପାରୁନି ।ବୁଣାକାରଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ବାସଗୃହ ତଥା କର୍ମଶାଳା/କର୍ମଶାଳା ନିର୍ମାଣ ଯୋଜନାରେ ତନ୍ତ ଅନ୍ୟାନ୍ୟ ଆସବାବପତ୍ର ସବୁକୁ ପ୍ରାକୃତିକ ବିପର୍ଯୟରୁ ସୁରକ୍ଷା ଦେଇ ଏକ ଉନ୍ନତ ପରିବେଶରେ ବୁଣାକାର୍ଯ୍ୟ କରିବା ପାଇଁ ୨୭ ବର୍ଗ ମିଟର/୨୪୦ ବର୍ଗ ଫୁଟର ଢଳେଇକରଣ ତନ୍ତଶାଳା ବା ବାସଗୃହ ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଉଛି ।

ତିନି ଅଥବା ୪ ମାସରେ କାର୍ଯ୍ୟ ସମ୍ପୂର୍ଣ କଲେ ଅଧିକ ୨୦ ହଜାର କିମ୍ବା ୧୦ ହଜାର ଟଙ୍କାର ସ୍ୱତନ୍ତ୍ର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ସେହିଭଳି ମୁଖ୍ୟମନ୍ତ୍ରୀ ବରିଷ୍ଠ ବୁଣାକାର ଓ କାରିଗରୀ ସହାୟତା ଯୋଜନାରେ ମହିଳା ହିତାଧିକାରୀଙ୍କ କ୍ଷେତ୍ରରେ ୪୦ ରୁ ୮୦ ବର୍ଷ ଏବଂ ପୁରୁଷ ହିତାଧିକାରୀଙ୍କ କ୍ଷେତ୍ରରେ ୫୦ ରୁ ୮୦ ବର୍ଷ ବୟସ ବର୍ଗର ବୁଣାକାରଙ୍କୁ ମାସିକ ୨୦୦୦ ଟଙ୍କା ଏବଂ ୮୦ ବର୍ଷରୁ ଊଦ୍ଧ୍ୱର୍ ବୁଣାକାରଙ୍କୁ ମାସକୁ ୨୫୦୦ ଟଙ୍କା ହାରରେ ଆର୍ଥିକ ସହାୟତା ପ୍ରଦାନର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *