ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶାକୁ ପୁରସ୍କୃତ କଲେ ରାଷ୍ଟ୍ରପତି
ପଞ୍ଚମ ଜାତୀୟ ଜଳ ପୁରସ୍କାର-୨୦୨୩ରେ ଓଡ଼ିଶାକୁ ଚାରିଟି ବର୍ଗରେ ପୁରସ୍କୁତ କରାଯାଇଛି। ଆଜି ସ୍ଥାନୀୟ ବିଜ୍ଞାନ ଭବନର ପ୍ଲିନାରି ହଲ୍ରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରେଷ୍ଠ ରାଜ୍ୟ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଓଡ଼ିଶାକୁ ପୁରସ୍କୁତ କରିଥିଲେ।
ଉନ୍ନୟନ କମିସନର୍ ତଥା ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଜଳ ସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ ରାଷ୍ଟ୍ରପତିଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ। ସେହିଭଳି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପୂର୍ବାଞ୍ଚଳରେ ବଲାଙ୍ଗୀରକୁ ଶ୍ରେଷ୍ଠ ଜିଲ୍ଲା ରୂପେ ପୁରସ୍କୃତ କରିଛନ୍ତି।
ପୁରସ୍କାର ଗ୍ରହଣ କରିଥିଲେ ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ସିଡିଓ ପ୍ରଭାତ କୁମାର ମହାପାତ୍ର। ଶ୍ରେଷ୍ଠ ସହରାଞ୍ଚଳ ଭାବେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ପୁରୀକୁ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ସିଆର୍ ପାଟିଲ ପୁରସ୍କୃତ କରିଥିଲେ। ପୁରସ୍କାର ପୁରୀ ପୌରସଂସ୍ଥାର ବରିଷ୍ଠ ଅଧିକାରୀ ଦେବାଶିଷ ନାୟକ ଗ୍ରହଣ କରିଥିଲେ।

