ରୋନାଲ୍ଡୋଙ୍କୁ ଭେଟିବାକୁ 13 ହଜାର କିଲୋମେଟର ସାଇକେଲ ଯାତ୍ରା
ଫୁଟବଲ ଜଗତର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କର ସାରା ବିଶ୍ୱରେ ଅଗଣିତ ପ୍ରଶଂସକ ଅଛନ୍ତି । ତେବେ ଚୀନ୍ର ୨୪ ବର୍ଷୀୟ ଗୋଙ୍ଗଙ୍କର କଥା ଟିକେ ନିଆରା । ନିଜର ପ୍ରିୟ ଖେଳାଳିଙ୍କୁ ଭେଟିବା ଲାଗି ସେ ସାଇକେଲରେ ୧୩ ହଜାର କିମି ଯାତ୍ରା କରି ନିକଟରେ ଚୀନ୍ରୁ ସାଉଦି ଆରବ ପହଞ୍ଚିଥିଲେ ।ମାର୍ଚ୍ଚ ୧୮ରେ ପୂର୍ବ ଚୀନ୍ର ଆଙ୍ଗୁଇ ପ୍ରଦେଶସ୍ଥିତ ନିଜ ଘରୁ ଯାତ୍ରାରମ୍ଭ କରିଥିଲେ ଗୋଙ୍ଗ୍ । ପରବର୍ତ୍ତୀ ସମୟରେ ସେ ସିନ୍ଜିଆଙ୍ଗ ପ୍ରଦେଶ ଦେଇ କାଜାଖସ୍ତାନରେ ପ୍ରବେଶ କରିଥିଲେ । ଏହାପରେ ଜର୍ଜିଆ, ଇରାନ୍, କାତାର ଭଳି ଅନ୍ୟ ୬ ଦେଶ ଦେଇ ରୋନାଲ୍ଡୋ ରହୁଥିବା ସାଉଦି ଆରବର ରାଜଧାନୀ ରିୟାଦ୍ରେ ପହଞ୍ଚିଥିଲେ । ଚଳିତମାସ ୨୦ ତାରିଖରେ ଅଲ୍ ନାସର ଫୁଟବଲ୍ କ୍ଲବ୍ ସାମ୍ନାରେ ସେ ତାଙ୍କ ହିରୋଙ୍କୁ ଭେଟିଥିଲେ ଏଥିପାଇଁ ତାଙ୍କୁ ୭ ମାସ ସମୟ ଲାଗିଥିଲା । ଗତ ଫେବ୍ରୁଆରୀ ମାସରେ ଆଘାତ ଯୋଗୁ ରୋନାଲ୍ଡୋ ଚୀନ୍ ଗସ୍ତକୁ ବାତିଲ କରିବା ପରେ ଗୋଙ୍ଗଙ୍କ ମନରେ ସାଇକେଲ୍ ଚଳାଇ ନିଜର ପ୍ରିୟ ତାରକାଙ୍କୁ ଭେଟିବାର ଚିନ୍ତାଧାରା ଆସିଥିଲା । ଏଥିଲାଗି ପ୍ରସ୍ତୁତି ସ୍ୱରୂପ ସେ ସାଇକେଲ୍ରେ ଏକ ତମ୍ବୁ, ରୋଷେଇବାସ ସାମଗ୍ରୀ, ପୋଷାକ ଓ ଅନ୍ୟ କିଛି ଜରୁରି ଉପକରଣ ଲଦିଥିଲେ ।
