ପାନୀୟ ଜଳ ପାଇଁ ୨୦୦ ପରିବାରକୁ ସାହା ଭରସା ଏକମାତ୍ର ନଳକୂପ
ରାଜ୍ୟରେ ଖରାର ପ୍ରକୋପ ବଢ଼ିଲାଣି । ଏଭଳି ପରିସ୍ଥିତିରେ ଛତ୍ରପୁର ବ୍ଲକରେ ଦେଖାଦେଇଛି ଜଳ ଯନ୍ତ୍ରଣା । ଛତ୍ରପୁର ବ୍ଲକର ଭିକାରିପଲ୍ଲୀ ପଞ୍ଚାୟତର ଗୋଲାପଲ୍ଲୀ ଗ୍ରାମରେ ୨୦୦ ପରିବାରକୁ ସାହା ଭରସା ଏକମାତ୍ର ନଳକୂପ ।ଛତ୍ରପୁର ବ୍ଲକ ୧୮ ଟି ପଂଚାୟତକୁ ନେଇ ଗଠିତ । ଏହି ବ୍ଲକରେ ପାଣି ସମସ୍ୟା ଏବେ ଉତ୍କୃଷ୍ଠ ରୂପ ଧାରଣ କରିଛି ।ସ୍ଥିତି ଏମିତି ହୋଇଛି ଯେ ବ୍ଲକର କେତେକ ଗ୍ରାମରେ ଅସ୍ୱାସ୍ଥ୍ୟକର ପରିବେଶ ଭିତରେ ଥିବା ନଳକୂପ ଓ ପୋଖରୀ ସାହା ଭରସା ପାଲଟିଛି । ହେଲେ ପାଣି ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରୁନଥିବାରୁ ଖରା ଦିନ ଆସିବା ମାତ୍ରକେ ସବୁ ଗାଁରେ ହାହାକାର ସ୍ଥିତି ଉପଜୁଛି । ଜଳ ଯୋଗାଣ ପାଇଁ ସରକାର ଗୋଟିଏ ପଟେ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏହି ଗ୍ରାମର ଲୋକେ ଆଜି ବି ଭୁତଳ ଜଳ ଉପରେ ନିର୍ଭର କରୁଛନ୍ତି ।ଗୋଲାପଲ୍ଲୀ ଗ୍ରାମର ୨୦୦ ପରିବାର ବସବାସ କରୁଥିବା ବେଳେ ସେମାନଙ୍କ ପାଇଁ ଏକମାତ୍ର ନଳକୂପ ଭରସା ରହିଛି । ନଳକୂପ ଅଚଳ ହେଲେ ଅସ୍ୱାସ୍ଥ୍ୟକର ପରିବେଷ ଭିତରେ ଥିବା ପୋଖରୀ ଉପରେ ନିର୍ଭର କରୁଛନ୍ତି ଗାଁ ଲୋକେ । ଗ୍ରାମ ପାଇଁ ଏକ ସୌର ଚାଳିତ ଜଳ ଯୋଗାଣ ପ୍ରକଳ୍ପ ସ୍ଥାପନ ହୋଇଥିବା ବେଳେ ପ୍ରାୟ ୩ ରୁ ୪ ବର୍ଷ ହେଲା ସେହି ପ୍ରକଳ୍ପ ଟି ଅଚଳ ହୋଇ ପଡିଛି ।ପ୍ରକଳ୍ପର ମରାମତି ନ ହେବାରୁ ଗଛଲତା ଭିତରେ ପ୍ରକଳ୍ପଟି ରହିଛି । ୨୦୦ ପରିବାର ପାନୀୟ ଜଳ ପାଇଁ ଏକମାତ୍ର ନଳକୂପ ଉପରେ ଭରସା କରିଛନ୍ତି ।ଗ୍ରାମର ମହିଳା ମାନେ ଗୋଟାଏ ନଳକୂପରୁ ପାଣି ନେବା ପାଇଁ ଲାଇନ ଲଗାଉଛନ୍ତି ।ଫଳରେ ସେମାନେ ସେମାନଙ୍କ ମଧ୍ୟରେ ମାରପିଟ ଭଳି ଝଗଡା ଲାଗି ରହୁଛି । ଏଣୁ ଗ୍ରାମରେ ଘରକୁ ଘର ପାନୀୟ ଜଳ ଯୋଗାଇବା ପାଇଁ ସେମାନେ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ।

