odisha

ହୁତୁହୁତୁ ହୋଇ ଜଳିଗଲା ପମ୍ପ ହାଉସ୍

Spread the love

କେନ୍ଦ୍ରାପଡା ଜିଲା ଆୟବା ଗାଁରେ ପିଇବା ପାଣି ଟୋପାଏ ପାଇଁ ହାହାକାର ଦେଖାଦେଇଛି l ଗାଁ ରେ ପାନୀୟ ଜଳ ଯୋଗାଣ ପାଇଁ ଥିବା ପମ୍ପ ହାଉସ୍ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l ଆଜି ଭୋରୁ ପମ୍ପ୍ ହାଉସ୍ ରେ ପାଣି ମଟର ଚାଲିବାର କେଇ ମିନିଟ ପରେ ହଠାତ ଠୋ ଠୋ ଶବ୍ଦ ଶୁଣିବା ପାଇଁ ମିଳିଥିଲା l ଦେଖୁ ଦେଖୁ ପମ୍ପ ହାଉସ୍ ଭିତରୁ ଧୂଆଁ ବାହାରି ଥିଲା l କିଛି ସମୟ ଭିତରେ ହୁତୁହୁତୁ ହୋଇ ଜଳି ଉଠିଲା ପମ୍ପ ହାଉସ୍ l ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇ ନଥିବାରୁ ଲୋକେ ପାଖକୁ ଯାଇ ନିଆଁ କୁ ଆୟତ୍ତ କରିବା ପାଇଁ ସାହସ ଜୁଟାଇ ପାରିଲେ ନାହିଁ lଫଳରେ ମାତ୍ର କିଛି ସମୟ ମଧ୍ୟରେ ଘରଟି ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇଗଲା l ଏଠାରେ ପ୍ରାୟ ୨୫ ବର୍ଷରୁ ଅଧିକ ସମୟ ଧରି ପାନୀୟଜଳ ଯୋଗାଣ ହୋଇ ଆସୁଛି l ବିଭିନ୍ନ ସମୟରେ ଆବଶ୍ୟକ ଅନୁଯାୟୀ ବିଦ୍ୟୁତ୍ ଉପକରଣ ମରାମତି ଅଭାବରୁ ଦୁର୍ଘଟଣା ଘଟୁଛି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ l ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ lଗାଁ ର ଏକମାତ୍ର ଜଳଯୋଗାଣ ପ୍ରକଳ୍ପ ଇଲେକ୍ଟ୍ରି ସରଞ୍ଜାମ ପୋଡି ଯିବା ପରେ ପାନୀୟଜଳ ଯୋଗାଣ ବ୍ୟାହତ ହୋଇଛି l ଏହି ଗାଁ ର ୪ ଶହ ପରିବାରର ପ୍ରାୟ ୩ ହଜାର ଲୋକ ଏହି ପାନୀୟ ଜଳ ଯୋଗାଣ କେନ୍ଦ୍ର ଉପରେ ନିର୍ଭର କରନ୍ତି l ୩ ହଜାର ଲୋକଙ୍କ ପାଇଁ ରହିଛି ମାତ୍ର ୪ ଗୋଟି ନଳକୂପ l ସେଥିମଧ୍ୟରୁ ଗୋଟିଏରୁ ବାହାରୁଥିବା ପାଣି ବ୍ୟବହାର ଉପଯୋଗୀ ନୁହଁ l ମାତ୍ର ୩ ଗୋଟି ନଳକୂପ ଗାଁ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପାଣି ଯୋଗାଇ ପାରୁ ନାହିଁ l ଫଳରେ ଗାଁରେ ପାଣି ପାଇଁ ଲୋକେ ଛଟପଟ ହେଉଛନ୍ତି l

Leave a Reply

Your email address will not be published. Required fields are marked *