ପାଣି ଛାଡିବା ପରେ ଲୋକଙ୍କ ପାଖରେ ପହଞ୍ଚିବ ସୁବିଧା , ଦିନେ ଦୁଇ ଦିନରେ ସୁଧୁରିବ ବନ୍ୟାର ସ୍ଥିତି |
ରାଜ୍ୟରେ ଲଗାଣ ବର୍ଷା ଏବଂ ବନ୍ୟାର ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜୀବ ଭବନ ସ୍ଥିତ ଏସଆରସି କାର୍ଯ୍ୟାଳୟରେ ସମୀକ୍ଷା କରିଛନ୍ତି ମନ୍ତ୍ରୀ । ଏଥିରେ ଉପସ୍ଥିତ ଥିଲେ ଏସଆରସି ଦେଓରଞ୍ଜନ କୁମାର ସିଂ, ଅତିରିକ୍ତ ଡିଜି ସଞ୍ଜୟ କୁମାର ଓ ବରିଷ୍ଠ ଅଧିକାରୀ । ମନ୍ତ୍ରୀ କହିଛନ୍ତି ଯେ ୩୦ ଜିଲ୍ଲାରେ ବର୍ଷା ହୋଇଛି । ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବର୍ଷାର ରେକର୍ଡ ହୋଇଛି । କୋରାପୁଟ ଜିଲ୍ଲାରେ ମଧ୍ୟ ବର୍ଷାର ପ୍ରଭାବ ରହିଛି ।
ସମସ୍ତ ଜିଲାପାଳଙ୍କୁ ଆଗୁଆ ସତର୍କ କରାଯାଇଥିଲା । ୬ ଟି ଓଡ୍ରାଫ ଓ ୫ଟି ଅଗ୍ନିଶମ ଟିମ ମାଲକାନଗିରି ଜିଲ୍ଲାରେ ନିୟୋଜିତ ହୋଇଥିଲେ । ୮୦ ଟି ଉଦ୍ଧାର ବୋଟ ନିୟୋଜିତ ହୋଇଥିଲା । କେନ୍ଦ୍ର ସରକାରଙ୍କ ଗୃହ ବିଭାଗର ସଚିବ ସହିତ ରାଜ୍ୟ ଅତିରିକ୍ତ ଶାସନ ସଚିବ କଥା ହୋଇଥିଲେ । ବିଏସଏସକୁ ଷ୍ଟାଣ୍ଡ ବାଇ ଥିଲା । ଚପର ମଧ୍ୟ ପ୍ରସ୍ତୁତ ହୋଇଥିଲା ।ସେହିପରି ମାଲକାନଗିରି ଜିଲ୍ଲାରେ ୧୭୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ରିଲିଫ ସେଣ୍ଟରରେ ସେମାନେ ରହିବେ । ଜଳ ସମ୍ପୂର୍ଣ୍ଣ ଛାଡିବା ଯାଏଁ ସେମାନେ ରହିବେ। ତିନି ଜଣ ବରିଷ୍ଠ ଅଧିକାରୀ ସେଠାରେ ଅଛନ୍ତି । ଏପରିକି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।
ଜିଲ୍ଲା ଓ ବ୍ଲକ ପ୍ରଶାସନ ସହିତ ରାଜ୍ୟ ସରକାର ସମନ୍ୱୟ ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଭୁସ୍କଳନ ଯୋଗୁଁ ଜଣେ ଆହତ ହୋଇଛନ୍ତି । ସେହିପରି ବନ୍ୟା ଓ ବର୍ଷା ଯୋଗୁଁ ଘର ଭାଙ୍ଗିଛି । ବର୍ଷା ଓ ପାଣି ଛାଡିବା ପରେ ଲୋକଙ୍କ ପାଖରେ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ବର୍ଷା ଓ ବନ୍ୟା ଯୋଗୁଁ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନ ହେଉଛି । ଏନେଇ ପଦକ୍ଷେପ ନିଆଯିବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

