କିସ୍ତଓ୍ବାଡରେ ଭାରତୀୟ ସେନା-ଆତଙ୍କବାଦୀ ମୁହାଁମୁହିଁ
ଜାମ୍ମୁ-କାଶ୍ମୀରର କିସ୍ତଓ୍ବାଡରେ ଏନକାଉଣ୍ଟର । ସୁରକ୍ଷାବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୨ ଯବାନ ସହିଦ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି । ଆହତ ଯବାନଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶୁକ୍ରବାର ଦିନ ସୂଚନା ମିଳିବା ପରେ କିସ୍ତଓ୍ବାଡର ଚଟରୁ ଅଞ୍ଚଳରେ ଭାରତୀୟ ସେନା ଓ ଜାମ୍ମୁ-କାଶ୍ମୀର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ସୁରକ୍ଷା ବାହିନୀର ଯବାନଙ୍କୁ ଦେଖି ଆତଙ୍କବାଦୀମାନେ ଅତର୍କିତ ଗୁଳିବିନିମୟ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲା ଇଣ୍ଡିଆନ୍ ଆର୍ମି । ମାତ୍ର ଏହି ଗୁଳିମାଡ଼ରେ ସେନାର ୪ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ ଦେଶ ପାଇଁ ସହିଦ ହୋଇଥିବା ବେଳେ ଅନ୍ୟ ୨ଜଣଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।
ସେନା ଅଧିକାରୀଙ୍କ କହିବା ଅନୁଯାୟୀ, ଆଗକୁ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଏହାକୁ ପୂର୍ବରୁ ରାଜ୍ୟକୁ ଅସ୍ଥିର କରିବାକୁ ଆତଙ୍କବାଦୀମାନେ ଉଦ୍ୟମ ଚଳାଇଛନ୍ତି । ଏଥିରେ ଆତଙ୍କୀ ସହଯୋଗ କରୁଛି ପାକିସ୍ତାନ ସେନା । ବେଳେବେଳେ ସିଜ୍ ଫାୟାର ଉଲ୍ଲଙ୍ଘନ କରି ଆତଙ୍କୀଙ୍କୁ ଭାରତୀୟ ସୀମାରେ ଅନୁପ୍ରବେଶ ପାଇଁ ସହଯୋଗ କରୁଛି । ଆତଙ୍କବାଦୀଙ୍କୁ ନିପାତ କରିବାକୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରଖିଛି ଭାରତୀୟ ସେନା

