କାରରେ ଲାଗିଲା ଭୟଙ୍କର ନିଆଁ, ୨୮ ବର୍ଷୀୟ ଯୁବକ ଜୀବନ୍ତ ଦଗ୍ଧ
ଉତ୍ତର ପ୍ରଦେଶର ଗ୍ରେଟର ନୋଏଡାରେ ଏକ କାରରେ ଭୟଙ୍କର ନିଆଁ ଲାଗି ଜଣଙ୍କ ମୃତ୍ୟୁ ଘଟିଛି । ତେବେ କାରଟି ରାସ୍ତାଠାରୁ ପ୍ରାୟ ୧୦୦ ମିଟର ଦୂରରୁ ମିଳିଥିବାରୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।
କାର୍ ନିଆଁରେ ଜଳି ପ୍ରାଣ ହରାଇଥିବା ୨୮ ବର୍ଷୀୟ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣାରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖିଛି ।
ଗ୍ରେଟର ନୋଏଡାର ଦାଦରୀ ଥାନା ଅଧୀନ କୋଟ ପୁଲ ନଗଲା ନିକଟରେ ଏକ ଫର୍ଚୁନର କାରରେ ଭୀଷଣ ନିଆଁ ଲାଗିଯାଇଥିଲା । ଫଳରେ ଗାଡ଼ି ଭିତରେ ଥିବା ଜଣେ ଯୁବକ ନିଆଁ ସଂସ୍ପର୍ଶରେ ଆସି ଜୀବନ୍ତ ଦଗ୍ଧ ହୋଇଥିଲେ ।
ଗାଡ଼ିରେ ନିଆଁ ଲାଗିଥିବାର ଦେଖି ସ୍ଥାନୀୟ ଲୋକମାନେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବହୁ ଚେଷ୍ଟା ପରେ ବି ଯୁବକଙ୍କୁ ବାହାର କରାଯାଇ ପାରି ନ ଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିବା ସହ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୋଲିସ କହିଛି, ନାଁ ସାମ୍ନାକୁ ଆସିଲେ ଆହୁରି ଅନେକ ଲୋକଙ୍କ ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ।
