ରାଜ୍ୟ

ପହଣ୍ଡିରେ ବିଜେ ହେଉଛନ୍ତି ଚତୁର୍ଦ୍ଧା ମୂରତି

Spread the love

ପବିତ୍ର ରଥଯାତ୍ରା । ଯାହାକୁ ଦେଖିବାକୁ ଚାତକ ପରି ଅପେକ୍ଷା କରି ରହିଥାଏ ଭକ୍ତ । ଶ୍ରୀଜୀଉଙ୍କ ଗୋଟିଏ ଝଲକ ପାଇଁ କାହିଁ କେତେ ବାଟୁ ଧାଇଁ ଯାଏ ଭକ୍ତ । ଅସହ୍ୟ ଗରମ ଓ ଗୁଳିଗୁଳିରେ ବି କାଳିକାକୁ ଦେଖିବାକୁ କ୍ରେଜ ଥାଏ । କିଏ କୁହେ ଜଗା ଆସୁଛି..କିଏ କୁହେ ଆସୁଛନ୍ତି ଆମ ଘରର ମୁରବି । ଆଉ କିଏ କୁହେ ଝୁଲି ଝୁଲି ଆସୁଛି ମହାବାହୁ । କୋଟି ଓଡିଆଙ୍କ ମଉଡ ମଣି । କିଏ ଗେହ୍ଲା କରେ ପୁଣି କିଏ ଗାଳି କରି ପକାଏ । ତାକୁ ଦେଖିବାକୁ ଏ ଭିଡ । ତାର ଟିକିଏ ଝଲକ ପାଇବାକୁ ସେ ପେଟା ଠେଲା ..ଗରମ ଗୁଳୁଗୁଳି କିଛି ଫରକ ପଡୁନି । ଗହଳି ଭିତରେ ଯେତେବେଳେ କାଳିଆ ସୁନା ଝୁଲି ଝୁଲି ଆସେ କିଏ ଟାହିଆ ଟାଣି ନିଏ । ପୁଣି କିଏ ସୁଯୋଜ ଦେଖି ଛୁଇଁ ଦେଇ ଖୁସିରେ ଗଦ ଗଦ ହେଇଯାଏ । କାଳି ଡୋରି ଏମିତି ଯେ ବିଦେଶୀ ବି ତା ପ୍ରେମରେ । କାହିଁ କେତେ ବାଟରୁ ଆଗରୁ ଆସିଛନ୍ତି । ଚର୍ମଚକ୍ଷୁରେ ବିଶ୍ୱର ସବୁଠାରୁ ବଡ ପର୍ବ ରଥଯାତ୍ରା ଦେଖିବାକୁ । ତା ଲୀଳା ବିଶ୍ୱ ବିଦିତ । ପୁରା ବଡ ଦାଣ୍ଡ ଭକ୍ତି ଭାବରେ ବୁଡିଛି । ଲାଗିଛି ଭକ୍ତଙ୍କ ଗହଳିଚହଳି । ଭକ୍ତର ଠାକୁର ଭାବ ବିନୋଦିଆ କାଳିଆକାହ୍ନୁ । ଭକ୍ତର ଏହି ଭଲପାଇବା ଟିକକ ଦେଖିବାକୁ ଧାଇଁ ଆସେ କାଳି କାହ୍ନୁ । ଘଣ୍ଟା, ଘଣ୍ଟା କାହାଳୀ ଧ୍ୱନିରେ ପ୍ରକମ୍ପିତ ଗଗନ ପବନ । ପୁରା ବଡଦାଣ୍ଡ ଜଗନ୍ନାଥମୟ । ହରିବୋଲ ହୁଳହୁଳିରେ ଫାଟି ପଡୁଛି ଚତୁର୍ଦିଗ । ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଲୋକାରଣ୍ୟ ବଡଦାଣ୍ଡ । ଧାଡି ପହଣ୍ଡିରେ ରଥାରୂଢ ହେଉଛନ୍ତି ମହାପ୍ରଭୁ । ପ୍ରଥମେ ସୁଦର୍ଶନ, ତାପରେ ବଳଭଦ୍ର ପରେ ସୁଭଦ୍ରା ଶେଷରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ । ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର । ସେପଟେ ସକାଳୁ ସକାଳୁ ପୁରୀରେ ଅସହ୍ୟ ତାତି ଓ ଗୁଳିଗୁଳି । ସାକଳ 8.30 ସୁଦ୍ଧା ପୁରୀ ତାପମାତ୍ରା 33.4 ଡିଗ୍ରୀ ରେକର୍ଡ ହୋଇଛି । ଆର୍ଦ୍ରତା 76 ପ୍ରତିଶତ ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହୋଇଛି । ଏହାସତ୍ତ୍ୱେ ବି ଭକ୍ତଙ୍କ ଭକ୍ତି କମିନି । କାଳିଆ କ୍ରେଜ ସମସ୍ତଙ୍କୁ କାହିଁ କେତେ ବାଟରୁ ଟାଣି ଆଣିଛି । ଲୋକାରଣ୍ୟ ହୋଇପଡିଛି ବଡଦାଣ୍ଡ ।

Leave a Reply

Your email address will not be published. Required fields are marked *