ଇତିହାସ ରଚିଲା ଇସ୍ରୋ
ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ(ଇସ୍ରୋ) ସୋମବାର ରାତି ୧୦ଟା ସମୟରେ ଶ୍ରୀହରିକୋଟାରୁ ଏକ ପିଏସଏଲଭି ରକେଟ ଜରିଆରେ ନିଜ ସ୍ପେଡେକ୍ସ ମିଶନ (ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ)କୁ ଲଞ୍ଚ୍ କରିଛି। ଏହା ସଫଳତା ପୂର୍ବକ ଲଞ୍ଚ୍ ହୋଇଛି। ପ୍ରଥମ ଲଞ୍ଚପ୍ୟାଡରୁ ମହାକାଶକୁ ୨ଟି ସ୍ପେଶକ୍ରାଫ୍ଟ ପଠାଯାଇଛି। ପ୍ରଥମଟି ଚେଜର ଓ ଅନ୍ୟଟି ଟାର୍ଗେଟ୍। ଚେଜର ସାଟେଲାଇଟ୍ ଟାର୍ଗେଟକୁ ଧରିବ । ଏଥିରେ ଡକିଂ କରିବ । ଉପଗ୍ରହରୁ ଏକ ରୋବୋଟିକ୍ ହାତ ବାହାରିଛି ଯାହା ହୁକ ଜରିଆରେ ଟାର୍ଗେଟକୁ ନିଜ ଆଡକୁ ଭିଡିବ । ଏହି ପ୍ରୟୋଗ ଦ୍ବାରା ଭବିଷ୍ୟତରେ କକ୍ଷ ଛାଡି ଅଲଗା ଦିଗରେ ଯାଉଥିବା ଉପଗ୍ରହକୁ ଫେରାଇ କକ୍ଷପଥକୁ ଆଣିବାର ପ୍ରଯୁକ୍ତିବିଦ୍ୟା ମିଳିଯିବ ।ପୂର୍ବରୁ ଗୋଟିଏ ମିଶନକୁ ପୁରା କରିବା ପାଇଁ ଏକାଧିକ ରକେଟ୍ ଲଞ୍ଚ୍ କରିବାକୁ ପଡୁଥିଲା । ଯଦି ଏହି ମିଶନ ସଫଳ ହେବ ତେବେ ଅନେକ ଖର୍ଚ୍ଚକୁ ରୋକାଯାଇପାରିବ । ଏହି ମିଶନ ସମ୍ପୂର୍ଣ୍ଣ ସଫଳ ହେଲେ ସ୍ପେଶ ଡକିଂରେ ଭାରତ ୪ର୍ଥ ଦେଶ ହେବ । ପୂର୍ବରୁ ଆମେରିକା, ଚାଇନା ଓ ଋଷ୍ ଏଥିରେ ସଫଳ ହୋଇସାରିଛନ୍ତି ।

