୯ମାସ ଧରି ମହାକାଶରେ ଫସିବା ପରେ ସୁନୀତା ଓ ବୁଚ୍ଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୯ ମାସରୁ ଅଧିକ ସମୟ ଧରି ଫସି ରହିଥିବା ଭାରତୀୟ-ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ବୁଚ୍ ୱିଲ୍ମୋର ବୁଧବାର ଭାରତୀୟ ସମୟ ଭୋର ୩ଟା ୨୭ ମିନିଟ୍ରେ ଫ୍ଲୋରିଡା ନିକଟ ସମୁଦ୍ରରେ ସୁରକ୍ଷିତ ଭାବେ ଅବତରଣ କରିଥିଲେ। ସେମାନଙ୍କ ସହିତ ଆଉ ଦୁଇ ମହାକାଶଚାରୀ ନିକ୍ ହେଗ୍ ଓ ଆଲେକଜାଣ୍ଡର ଗ୍ରିବୟୋଙ୍କି ମଧ୍ୟ ପୃଥିବୀକୁ ଫେରିଥିଲେ। ସେମାନଙ୍କର ଅବତରଣ ବେଳର ଦୃଶ୍ୟ ବିଜ୍ଞାନପ୍ରେମୀଙ୍କ ମଧ୍ୟରେ ରୋମାଞ୍ଚ ସୃଷ୍ଟି କରିଥିଲେ।ତେବେ ୯ମାସ ଧରି ମହାକାଶରେ ଫସିବା ପରେ ଏବେ ସୁନୀତା ଓ ବୁଚ୍ଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେ କହିଛନ୍ତି ଯେ, ମହାକାଶରେ ଅଧିକ ମାସ ରହିଥିବାରୁ ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ନିଜ ପକେଟରୁ ଟଙ୍କା ଦେବେ। ଏହା ସହ ଫସି ରହିଥିବା ମହାକାଶଚାରୀଙ୍କୁ ଘରକୁ ଫେରାଇ ଆଣିବା ପାଇଁ ସ୍ପେସଏକ୍ସ ଡ୍ରାଗନ ଫ୍ରିଡମ ସ୍ପେସକ୍ରାଫ୍ଟ ବ୍ୟବହାର କରିଥିବାରୁ ଟ୍ରମ୍ପ ଏଲନ୍ ମସ୍କଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

